Unknown

 

 

 

 

 

 

 

 

 

 

 

ଆଲୋକ

ଜ୍ୟୋତିର୍ମୟୀ ମହାନ୍ତି

 

ଆଲୋକ

 

ଆମ ଚାରିପଟେ ଅନେକ ପଦାର୍ଥ ଅଛି । ଆଲୋକ ଆମକୁ ସେ ପଦାର୍ଥ ବିଷୟରେ କିଛି କହିଦିଏ । ଆମେ ଆଲୋକକୁ ଦେଖିପାରୁ ନାହିଁ । ମାତ୍ର ବସ୍ତୁ ଉପରେ ଆଲୋକ ପଡ଼ିଲେ ଆମେ ଉକ୍ତ ବସ୍ତୁକୁ ଦେଖିପାରୁ । ବିଭିନ୍ନ ବସ୍ତୁର ରଙ୍ଗ, ଆକାର, ଅବସ୍ଥା ବିଷୟରେ ଆଲୋକ ଆମକୁ କହିଦିଏ । ତେବେ ମନରେ ପ୍ରଶ୍ନ ଆସେ ଏହି ଆଲୋକ କ'ଣ ?

 

ତାପ ଓ ବିଦ୍ୟୁତ ପରି ଆଲୋକ ଏକପ୍ରକାର ଶକ୍ତି ।

 

ଗୋଟିଏ ଘରେ ତୁମେ ବସ । ଟେବୁଲ ଉପରେ କିଛି ଫୁଲଦାନୀ, ଫୁଲତୋଡ଼ା, କଲମ, ଖାତା ରଖିଦିଅ । ତୁମ ଆଖି ବୁଜିଦିଅ । ଦେଖିବ ଯେ ତୁମେ କିଛି ଦେଖିପାରିବ ନାହିଁ । ଆଖି ଖୋଲିଲେ ପଦାର୍ଥର ଉପସ୍ଥିତି ଜାଣିବ । ଏହାର କାରଣ ହେଉଛି ବସ୍ତୁ ଉପରେ ଆଲୋକପଡ଼ି ତାହା ପ୍ରତିଫଳିତ ହୋଇ ଆମ ଆଖିରେ ପ୍ରବେଶ କଲେ ଆମେ ଦେଖିପାରୁ । ଏହି ଆଲୋକ ବିନା ତୁମେ କିଛି ଜାଣିପାରିବ ନାହିଁ ।

 

(୧) ତୁମେ ତୁମର ପ୍ରିୟ ଟେଲିଭିଜନ ଦେଖିପାରିବ ନାହିଁ ।

 

(୨) ତୁମ ପ୍ରିୟ ବହି ପଢ଼ିପାରିବ ନାହିଁ ।

 

(୩) ପଡ଼ିଆରେ କ୍ରିକେଟ୍ ଖେଳିପାରିବ ନାହିଁ ।

 

ଆଲୋକ ଏକ ଉତ୍ସରୁ ଆସିଥାଏ । ଏହି ଉତ୍ସ ଦୁଇ ପ୍ରକାରର ।

 

(୧) ପ୍ରାକୃତିକ, (୨) କୃତ୍ରିମ ।

 

ପ୍ରାକୃତିକ ଉତ୍ସ ହେଲା :–

 

ସୂର୍ଯ୍ୟ–ସୂର୍ଯ୍ୟ ହେଉଛନ୍ତି ଆମର ପ୍ରଧାନ ପ୍ରାକୃତିକ ଉତ୍ସ । ଆଲୋକ ଏକ ସେକେଣ୍ଡରେ ତିନିଲକ୍ଷ୍ୟ କିଲୋମିଟର ବେଗରେ ଗତି କରେ । ଏହି ବେଗରେ ଗତି କରି ସୂର୍ଯ୍ୟଙ୍କଠାରୁ ଆଲୋକ ଆସି ମାତ୍ର ଆଠ ମିନିଟରେ ଆମ ପୃଥିବୀରେ ପହଞ୍ଚେ । ତେଣୁ ଦିନବେଳା ସୂର୍ଯ୍ୟଙ୍କ ଆଲୋକରେ ପୃଥିବୀ ଆଲୋକିତ ହୁଏ ।

 

ଚନ୍ଦ୍ର–ରାତିହେଲେ ଆମେ ଆକାଶରେ ଚନ୍ଦ୍ର ଦେଖୁ । ଚନ୍ଦ୍ର ମଧ୍ୟ ଏକ ପ୍ରାକୃତିକ ଉତ୍ସ । ମାତ୍ର ଏହାର ନିଜର ଆଲୋକ ନାହିଁ । ସୂର୍ଯ୍ୟକିରଣ ଚନ୍ଦ୍ରପୃଷ୍ଠରେ ପ୍ରତିଫଳିତ ହୋଇ ପୃଥିବୀରେ ପଡ଼େ । ତେଣୁ ଏହା ଶୀତଳ ଓ ଥଣ୍ଡା ଲାଗେ । ଏହା ସତ୍ତ୍ଵେ ରାତିରେ ପୃଥିବୀ ଅନ୍ଧକାରରେ ରୁହେ-

 

ନକ୍ଷତ୍ର–ରାତିର ଆକାଶରେ ଆମେ ଅଗଣିତ ନକ୍ଷତ୍ର ଦେଖୁ । ଏମାନେ ମଧ୍ୟ ଆଲୋକର ପ୍ରାକୃତିକ ଉତ୍ସ । ଗୋଟିଏ ଗୋଟିଏ ନକ୍ଷତ୍ର ମଧ୍ୟ ସୂର୍ଯ୍ୟଙ୍କଠାରୁ ଆହୁରି ଉଜ୍ଜ୍ୱଳତର ମାତ୍ର ଏମାନେ ଆମଠାରୁ ବହୁ ଦୂରରେ ଅଛନ୍ତି । ତେଣୁ ଏମାନଙ୍କଠାରୁ ଖୁବ୍‍ କମ୍ ଆଲୋକ ପୃଥିବୀକୁ ଆସେ । ଏହା ମଧ୍ୟ ରାତିର ଅନ୍ଧାର ଦୂର କରିପାରେ ନାହିଁ । ତେଣୁ ରାତିଟି ଅନ୍ଧାର ଅଟେ । ଫଳରେ ଲୋକମାନେ ବିଶେଷ କିଛି କାମ କରିପାରନ୍ତି ନାହିଁ । ବିଶ୍ରାମ ନିଅନ୍ତି ।

 

ଜୁଳୁଜୁଳିଆ ପୋକ–ଅନ୍ଧାର ରାତିରେ ତୁମେ ଜୁଳୁଜୁଳିଆ ପୋକ ଦେଖିଥିବ । ଏହା ଦେହରୁ ଅତି କ୍ଷୀଣ ଆଲୋକ ବାହାରେ । ଏହା ମଧ୍ୟ ଏକ ପ୍ରାକୃତିକ ଆଲୋକ ।

 

ବିଜୁଳି–ମେଘ ଦିନରେ ତୁମେମାନେ ବିଜୁଳି ମାରିବା ଦେଖିଥିବ । ଏହା ଚକ୍ ମାରି ଲିଭିଯାଏ । ଅଳ୍ପ ସମୟ ପାଇଁ ହେଲେ ବି ଚାରିଆଡ଼ ଆଲୋକରେ ଭରିଯାଏ ।

 

ବେଳେବେଳେ ତୁମେ ମଶାଣୀରେ କିଛି ଆଲୋକ ଜଳୁଥିବାର ଦେଖ । ଏହାକୁ ଡାହାଣୀ ଆଲୁଅ ବୋଲି କହିଥାଅ । ମଶାଣୀରେ ନାନା ଜୈବିକ ବସ୍ତୁ ପଡ଼ିଥାଏ । ଏଥିରୁ ଫସ୍‍ଫିନ୍ ନାମକ ଏକ ଗ୍ୟାସ ସୃଷ୍ଟି ହୁଏ । ଏହି ଗ୍ୟାସ ଗ୍ୟାସ ବାୟୁ ସଂସ୍ପର୍ଶରେ ଆସିଲେ ଜଳିଉଠି ଆଲୋକ ସୃଷ୍ଟି କରେ । ପ୍ରକୃତରେ ଏହା ଡାଆଣୀ ଆଲୁଅ ନୁହେଁ ।

Image

ଆମେ ଜାଣିଲୁ ଯେ ଏକମାତ୍ର ସୂର୍ଯ୍ୟଙ୍କ ଆଲୋକ ଅନ୍ଧକାର ଦୂରକରେ । ଅନ୍ୟ ପ୍ରାକୃତିକ ଉତ୍ସମାନ ଅନ୍ଧକାରକୁ ସମ୍ପୂର୍ଣ୍ଣ ଦୂରକରି ପାରନ୍ତି ନାହିଁ । ତେଣୁ ଅନ୍ଧାର ରାତିରେ କିଛି ଦେଖିବା ପାଇଁ ମଣିଷ କୃତ୍ରିମଭାବେ ଆଲୋକର ଉତ୍ସ ସୃଷ୍ଟି କଲା । ଆଦିମ ଯୁଗରେ ମଣିଷ ନିଆଁ ଜାଳି ଆଲୋକ ପାଉଥିଲା । ମାତ୍ର ଯୁଗ ଆଗେଇଲା । ବିଜ୍ଞାନ ବଳରେ ମନୁଷ୍ୟ ନାନା କୃତ୍ରିମ ଉତ୍ସ ଆବିଷ୍କାର କଲା । ସେଗୁଡ଼ିକ ହେଲା–

 

(୧) କିରୋସିନୀ ଲ୍ୟାମ୍ପ (ଡିବି, ଲଣ୍ଠନ)

 

(୨) ମହମବତୀ

 

(୩) ଇଲେକ୍‍ଟ୍ରିକ୍ ବଲବ

 

(୪) ଟର୍ଚ୍ଚ ଲାଇଟ୍

 

(୫) ପେଟ୍ରୋମାକ୍ସ ଲାଇଟ୍ । ଇତ୍ୟାଦି ।

 

ମହମବତୀ, ଡିବି, ଲଣ୍ଠନ ଆଦି ଜାଳି ଆମେ ଆଲୋକ ପାଉ । ଏଠାରେ ରାସାୟନିକ ଶକ୍ତି ଆଲୋକ ଶକ୍ତିକୁ ରୂପାନ୍ତରିତ ହୁଏ । ସେହିପରି ବିଦ୍ୟୁତ୍ ବଲ୍‍ବରେ ବିଦ୍ୟୁତ୍ ପ୍ରବାହିତ ହେଲେ ତା' ଭିତରେ ଥିବା ତାର ଉତ୍ତପ୍ତ ହୋଇ ଆଲୋକ ଦିଏ ।

 

ସୂର୍ଯ୍ୟ ଆଲୋକକୁ ନେଇ ଉଦ୍ଭିଦ ତା’ର ପତ୍ରହରିତ୍, ଧାତବଲବଣ ଓ ଜଳଦ୍ୱାରା ସେ ଶର୍କରା ଖାଦ୍ୟ ପ୍ରସ୍ତୁତ କରେ । ପତ୍ରର ସବୁଜରଙ୍ଗ ପାଇଁ ସୂର୍ଯ୍ୟ ଆଲୋକ ହିଁ ଦାୟୀ ।

 

ନିଜେକର–

 

(୧) ତୁମ ବଗିଚାର ଘାସ ଉପରେ ଗୋଟିଏ ମାଟିକୁଣ୍ଡ ଉଗାଡ଼ି ଦିଅ । କିଛି ଦିନ ପରେ କୁଣ୍ଡଟି କାଢ଼ । ଦେଖିବ ଯେ କୁଣ୍ଡ ଭିତରେ ଥିବା ଘାସଗୁଡ଼ିକ ଫିକା ସବୁଜ ବା ଧଳାଳିଆ ହୋଇଯାଇଛି । ଆଲୋକ ନ ପାଇ ଏହା ଏପରି ହୋଇଗଲା ।

 

(୨) ଗଛ ସର୍ବଦା ତା'ର ଡାଳ, ପତ୍ର ମେଲାଇ ରହିଥାଏ । ଏପରି ରହିବାର କାରଣ ହେଲା ସେ ସର୍ବଦା ଆଲୋକ ପାଇବାକୁ ଚେଷ୍ଟା କରେ ।

 

ଚାରାଗଛଟିଏ ନିଅ । ଏହା ଉପରେ ଏକ ନିବୁଜ କାଠ ବାକ୍ସ ଘୋଡ଼େଇ ଦିଅ । ଏହି ବାକ୍ସର ଗୋଟିଏ କାନ୍ଥରେ ଛୋଟ ଏକ କଣା କର । କିଛିଦିନ ପରେ ବାକ୍ସ ଟେକିଲେ ଦେଖିବ ଯେ ଚାରାଗଛଟିର କାଣ୍ଡ ସେହି କଣାଆଡ଼କୁ ବଙ୍କାଇ ଯାଇଛି । ଏପରି କାହିଁକି ହେଲା ନିଜେ ଚିନ୍ତା କର-। ଗଛର କାଣ୍ଡ ସବୁବେଳେ ଆଲୋକ ଆଡ଼କୁ ଗତି କରେ-

 

ଆଲୋକର ଗତି–ଆଲୋକ ଗତି କରେ । ଏବେ ଦେଖିବା ଏହା କିପରି ଗତି କରେ ।

 

(୧) ଟର୍ଚ୍ଚ ଲାଇଟରୁ ବାହାରୁଥିବା ଆଲୋକକୁ ଅନ୍ଧକାର ରାତିରେ ଲକ୍ଷ୍ୟ କର ।

 

(୨) ରାତିରେ ଗୋଟିଏ ମଟରଗାଡ଼ିର ହେଡ଼୍ ଲାଇଟରୁ ନିର୍ଗତ ଆଲୋକକୁ ଲକ୍ଷ୍ୟ କର-

 

(୩) ଗୋଟିଏ ଘରକୁ ନିବୁଜ ଭାବରେ ଅନ୍ଧାର କରିଦିଅ । ସେହି ଘରେ ଥିବା କୌଣସି ଏକ ଛିଦ୍ର ଦେଇ ଆସୁଥିବା ଆଲୋକକୁ ଲକ୍ଷ୍ୟ କର । ଆଲୋକର ଗତିପଥ ବାୟୁରେ ଥିବା ଧୂଳିକଣା ଦ୍ୱାରା ଚିହ୍ନିତ ହୋଇଥିବ ।

 

ଏବେ ଦେଖ ପ୍ରତି କ୍ଷେତ୍ରରେ ଆଲୋକ ଏକ ସରଳ ରେଖାରେ ଗତି କରୁଛି ।

 

ନିଜେ କର–ଏକ ମହମବତୀ ଆଣ ଓ ଏହା ସମ୍ମୁଖରେ ଏକ କାର୍ଡ଼ବୋର୍ଡ଼ ରଖ । ମହମବତୀର ସମାନ ଉଚ୍ଚତାରେ କାର୍ଡ଼ବୋର୍ଡ଼ର ଏକ କଣା କର ଯେପରି ମହମବତୀର ଶିଖା ଓ କାର୍ଡ଼ବୋର୍ଡ଼ ଏକ ସରଳରେଖାରେ ରହିବ । ବର୍ତ୍ତମାନ ମହମବତୀଟିକୁ ଜଳାଅ । କଣା ଆରପଟେ ଅନାଇଲେ ତୁମେ ମହମବତୀଟିକୁ ଦେଖିପାରିବ । କଣାକୁ ସାମାନ୍ୟ ଉପରକୁ ଉଠାଅ । ବର୍ତ୍ତମାନ ଚାହିଁଲେ ଆଉ ମହମବତୀକୁ ଦେଖିପାରିବ ନାହିଁ । ଏପରି କାହିଁକି ହେଲା ଚିନ୍ତା କର ।

Image

ଆମେ ଦେଖିଲେ ଯେ କାର୍ଡ଼ବୋର୍ଡ଼ ଦେଇ ଆଲୋକ ଆଦୌ ଗତି କରିପାରିଲା ନାହିଁ । ଏବେ ଖଣ୍ଡିଏ କାଚ ଆଣି ମହମବତୀ ସମ୍ମୁଖରେ ଦେଖାଅ । ତୁମେ ମହମବତୀ ଓ ତା'ର ଶିଖାକୁ ଦେଖିପାରିବ । ଏହି ଯେଉଁ ବସ୍ତୁମଧ୍ୟରେ ଆଲୋକ ଭଲଭାବରେ ଗତିକରି ପାରିଲା ଆମେ ତା’କୁ କହିବା ସ୍ୱଚ୍ଛ ପଦାର୍ଥ । ଯେଉଁ ପଦାର୍ଥ ଦେଇ ଆଲୋକ ଗତିକରି ପାରିଲା ନାହିଁ, ତାକୁ କହିବା ଅସ୍ଵଚ୍ଛ ପଦାର୍ଥ । କାଠ, ପଥର, ମୋଟା କାଗଜ ଆଦି ଏହି ଶ୍ରେଣୀର ଅଟନ୍ତି ।

 

ଗୋଟିଏ କାଚ ଆଣ I ତାକୁ ଘଷି ଦିଅ । ଏହି ଘଷା ହୋଇଥିବା କାଚଟିକୁ ବର୍ତ୍ତମାନ ମହମବତୀ ସମ୍ମୁଖରେ ଦେଖାଅ । ଦେଖିବ ଯେ ଏହା ମଧ୍ୟଦେଇ ଆଲୋକ ଅଳ୍ପ ପରିମାଣରେ ଗତି କରିବ । ଏହି ପ୍ରକାର ବସ୍ତୁଗୁଡ଼ିକୁ ଆମେ କହୁ ଅର୍ଦ୍ଧସ୍ୱଚ୍ଛ । ଟ୍ରେସିଂ ପେପର, ଘଷାକାଚ ଆଦି ଏହି ଶ୍ରେଣୀର ଅଟନ୍ତି ।

 

ଆମେ ଜାଣିଲୁ ଯେ ଆଲୋକର ଗତି ଅନୁସାରେ ଆମେ ପଦାର୍ଥକୁ ତିନି ଭାଗରେ ବିଭକ୍ତ କରୁ । ତାହା ହେଲା– (୧) ସ୍ଵଚ୍ଛ, (୨) ଅସ୍ଵଚ୍ଛ ଓ (୩) ଅର୍ଦ୍ଧସ୍ଵଚ୍ଛ ।

 

ଛାୟା–ତୁମେ ଜାଣିଛ ଯେ ଆଲୋକର ଉତ୍ସ ସମ୍ମୁଖରେ ଏକ ଅସ୍ଵଚ୍ଛ ପଦାର୍ଥ ରହିଲେ ତା’ ପଛରେ ଗାଢ଼ ଅନ୍ଧକାର ସୃଷ୍ଟି ହୁଏ । ଆମେ ଏହାକୁ କହୁ ଛାୟା । ଭଲଭାବରେ ଲକ୍ଷ୍ୟ କଲେ ଦେଖିବ ଯେ ଛାୟାର ମଝି ଅଂଶ ଗାଢ଼କଳା ଅଟେ । ଏହାକୁ କୁହାଯାଏ ପ୍ରଛାୟା । ପ୍ରଛାୟାକୁ ଲାଗିକରି ଚାରିପଟରେ ଏକ ଝାପ୍‍ସା ଛାୟା ମଧ୍ୟ ଦେଖାଯାଏ । ଏହାକୁ କୁହାଯାଏ ଉପଛାୟା ।

 

ଆକାଶରେ ସୂର୍ଯ୍ୟଥିଲା ବେଳେ ତୁମ ନିଜର ଛାୟା ସୃଷ୍ଟି ହୁଏ । ସୂର୍ଯ୍ୟ ଉଦୟ ସମୟରେ ତୁମ ଛାୟାକୁ ଲକ୍ଷ୍ୟ କର । ମଧ୍ୟାହ୍ନ ବା ସୂର୍ଯ୍ୟ ମୁଣ୍ଡ ଉପରେ ଥିଲାବେଳେ ତୁମ ଛାୟାକୁ ଦେଖ । ଏହି ତିନିଗୋଟି ଅବସ୍ଥାରେ ଛାୟାରେ କି ପରିବର୍ତ୍ତନ ଲକ୍ଷ୍ୟ କରୁଛ ।

Image

ସକାଳେ ଓ ଚାରିଟାବେଳେ ଛାୟା ଅପେକ୍ଷାକୃତ ଲମ୍ଵ ଥିବ । ମଧ୍ୟାହ୍ନ ସମୟରେ ଛାୟାର ଦୈର୍ଘ୍ୟ ସବୁଠାରୁ ଛୋଟ ହେବ ।

 

ଏହି ଛାଇର ମାପକୁ ନେଇ ପୂର୍ବକାଳରେ ସମୟ ଦେଖିବା ପାଇଁ ଘଡ଼ି ତିଆରି କରୁଥିଲେ । ଏହାକୁ ସୂର୍ଯ୍ୟଘଡ଼ି କୁହାଯାଏ । ଆମ ରାଜଧାନୀ ଭୁବନେଶ୍ୱରର କେଦାର ଗୌରୀଠାରେ ଏକ ସୂର୍ଯ୍ୟଘଡ଼ି ରହିଛି । ଏଥିରେ କେବଳ ଆମେ ଦିନବେଳା ହିଁ ସମୟ ମାପିପାରିବା ।

 

ନିଜେ କର–

 

(୧) ଗୋଟିଏ କାଗଜ ଆଣ । ଏହା ଉପରେ ଏକ ବଡ଼ ବୃତ୍ତ ଅଙ୍କନ କର । ଘଣ୍ଟାରେ ଲେଖା ହୋଇଥିଲା ଭଳି ଏଥିରେ ୧ ଠାରୁ ୧୨ ପର୍ଯ୍ୟନ୍ତ ସଂଖ୍ୟା ସମାନ ବ୍ୟବଧାନରେ ଲେଖ । ମଝିରେ ଖଣ୍ଡିଏ ମୋଟା ଖରିକା ଏପରି ଭାବରେ ପୋତିଦିଅ ଯେପରି ଖରିକାର ଛାଇ ଏହି ଅକ୍ଷର ଉପରେ ପଡ଼ିବ । ହାତଘଡ଼ିର ସମୟ ସହ ସୂର୍ଯ୍ୟଘଡ଼ିର ଲେଖା ଅକ୍ଷର ଉପରେ ଛାଇ ପକାଅ । ଦେଖିବ ସୂର୍ଯ୍ୟଙ୍କର ଗତି ସହ ଛାଇର ଗତି ମଧ୍ୟ ବଦଳିବ । ତୁମ ହାତଘଣ୍ଟାର ସମୟ ସହ ତାଳଦେଇ ଛାଇର ଗତି ବଦଳିବ ।

 

(୨) ଆଉ ଏକ ଛାଇର ଖେଳ ମଧ୍ୟ କରିପାରିବ । ଗୋଟିଏ ଘରକୁ ଅନ୍ଧାର କରି ମହମବତୀଟିଏ ଜାଳ । ମହମବତୀ ସମ୍ମୁଖରେ କିଛି ଦୂର ଛାଡ଼ି ଏକ କାର୍ଡ଼ବୋର୍ଡ଼ ରଖ । ଏକ ମୋଟା କାଗଜରେ ଜୋକରର ଏକ ଚିତ୍ର ଅଙ୍କନ କର । ଯେପରି ଏହାର ହାତ, ଗୋଡ଼, ମୁଣ୍ଡ ପରିଷ୍କାର ଭାବରେ ଥିବ । ଏହି ଜୋକରଟିକୁ ମହମବତୀ ଓ କାର୍ଡ଼ବୋର୍ଡ଼ର ମଝିରେ ରଖିଲେ ଜୋକରର ଆକାର ଏକ ଛାୟା କାର୍ଡ଼ବୋର୍ଡ଼ ଉପରେ ଦେଖିପାରିବା । ଜୋକରକୁ ହାତଦ୍ୱାରା ନଚାଇଲେ ଏହି ଛାୟାଟି ମଧ୍ୟ ଗୋଡ଼, ହାତ ହଲାଇ ନାଚ କରିବ ।

Image

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଏହି ଛାଇ ଆଲୁଅର ଏକ ଖେଳ ।

 

ଚନ୍ଦ୍ରଗହଣ–ସୂର୍ଯ୍ୟ ହେଉଛନ୍ତି ଆଲୋକର ଉତ୍ସ । ଚନ୍ଦ୍ର ଓ ପୃଥିବୀ ଅସ୍ଵଚ୍ଛ ପଦାର୍ଥ । ସାଧାରଣତଃ ପୂର୍ଣ୍ଣିମା ତିଥିରେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ରୁହେ । ପୃଥିବୀର ଛାୟା ସୃଷ୍ଟି ହୁଏ-। ଯେଉଁ ପୂର୍ଣ୍ଣିମାରେ ଏମାନେ ଏକ ସମତଳ ଓ ଏକ ସରଳରେଖାରେ ରୁହନ୍ତି, ସେହି ପୂର୍ଣ୍ଣିମାରେ ପୃଥିବୀର ଛାଇରେ ଚନ୍ଦ୍ର ରହିଯାଏ । ତେଣୁ ଆମେ ଚନ୍ଦ୍ରକୁ ଦେଖିପାରୁ ନାହିଁ । ବୁଢ଼ୀମା ତୁମକୁ କୁହନ୍ତି ଯେ ରାହୁ ଓ କେତୁ ନାମକ ଦୁଇଟି ରାକ୍ଷସ ଚନ୍ଦ୍ରକୁ ଗ୍ରାସ କଲାଣି କିନ୍ତୁ ପ୍ରକୃତରେ ଏହା ଆଲୋକ ଯୋଗୁଁ, ଛାଇ ଯୋଗୁଁ ହୋଇଥାଏ ।

 

ସୂର୍ଯ୍ୟପରାଗ–ଏହା ମଧ୍ୟ ଛାଇର ଏକ ଖେଳ । ସାଧାରଣତଃ ଅମାବାସ୍ୟାରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଚନ୍ଦ୍ର ରୁହେ । ଚନ୍ଦ୍ର ଏକ ଅସ୍ଵଚ୍ଛ ପଦାର୍ଥ ହେତୁ ତା’ର ଛାୟା ସୃଷ୍ଟି ହୁଏ । ଯେଉଁ ଅମାବାସ୍ୟାରେ ଏମାନେ ଏକ ସମତଳରେ ଓ ଏକ ସରଳରେଖାରେ ରୁହନ୍ତି ସେହି ଅମାବାସ୍ୟାରେ ଚନ୍ଦ୍ରର ଛାୟା ପୃଥିବୀ ଉପରେ ପଡ଼େ । ପୃଥିବୀର ଯେଉଁ ଅଂଶରେ ପଡ଼େ ସେ ଅଞ୍ଚଳର ଲୋକମାନେ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ । ତେଣୁ ସେଠାରେ ସୂର୍ଯ୍ୟପରାଗ ହୁଏ ।

 

ନିଜେ କର–ଏକ ଆୟତାକାର କାଗଜପେଟି ନିଅ । ପରସ୍ପର ସାମନା ସାମନି ଥିବା ଦୁଇ ପାର୍ଶ୍ଵରେ ଏକ ସରଳରେଖାରେ ଦୁଇଟି କଣାକର । ଗୋଟିଏ କଣାରେ ଏକ ଛୋଟ ଗୋଲକ ସୂତା ଦ୍ୱାରା ଝୁଲାଅ । ଏହା ହେଉଛି ଚନ୍ଦ୍ର । ଅନ୍ୟପଟେ କଣା ସମ୍ମୁଖରେ ଏକ ମହମବତୀ ଜାଳ । ଏହା ହେଉଛି ସୂର୍ଯ୍ୟ । ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ଆଉ ଏକ ମଧ୍ୟମ ଆକାରର ଗୋଲକ ସୂତା ଦ୍ଵାରା ଝୁଲାଅ । ଏହା ହେବ ପୃଥିବୀ । ଯାହାକି ମହମବତୀ ଓ ଛୋଟ ଗୋଲକସହ ଏକ ସରଳରେଖାରେ ରହିବ । ସୂର୍ଯ୍ୟ ବା ମହମବତୀ ପଟୁ ବର୍ତ୍ତମାନ ଚାହିଁଲେ ତୁମେ ଛୋଟ ଗୋଲକ ବା ଚନ୍ଦ୍ରକୁ ଦେଖିପାରିବ ନାହିଁ । ଏହା ହେଉଛି ଚନ୍ଦ୍ର ଗ୍ରହଣର ଏକ ମଡ଼େଲ୍ ।

 

ନିଜେ କର–ଗୋଟିଏ ବଡ଼ ବଲ୍‍ ନେଇ ଅନ୍ଧାର ଘର ଟେବୁଲ ଉପରେ ରଖ । ବଲ୍‍ର ଗୋଟିଏ ପାଖରୁ ଅଳ୍ପ ଦୂରରୁ ଟର୍ଚ୍ଚ ଆଲୁଅ ପକାଅ । ବଲ୍‍ର ଅନ୍ୟ ପାଖରେ ପଡ଼ୁଥିବା ଛାୟାରେ ଏକ ଛୋଟ ବଲ୍‍ ରଖ । ଦେଖିବ ଯେ ସାନବଲ୍‍ ଉପରେ ଟର୍ଚ୍ଚ ଆଲୁଅ ପଡ଼ୁନାହିଁ । ଚନ୍ଦ୍ରଗ୍ରହଣ ଠିକ୍ ଏହିପରି ଅଟେ । ଏଠାରେ ସାନ ବଲ୍‍ଟି ଚନ୍ଦ୍ର, ବଡ଼ ବଲ୍‍ଟି ପୃଥିବୀ ଓ ଟର୍ଚ୍ଚ ଆଲୁଅ ହେଲା ସୂର୍ଯ୍ୟ ।

Image

ଏସବୁ ସମ୍ଭବ ହୁଏ କେବଳ ଆଲୋକର ସରଳରୈଖିକ ଗତି ଯୋଗୁଁ ।

 

ଆଲୋକର ପ୍ରତିଫଳନ–ଏକ ସମତଳ ଦର୍ପଣ ନିଅ । ଘର ବାହାରେ ଛିଡ଼ାହୋଇ ସୂର୍ଯ୍ୟଙ୍କ ଆଲୋକକୁ ଦର୍ପଣରେ ପକାଅ । ବର୍ତ୍ତମାନ ଦର୍ପଣକୁ ଘରର କାନ୍ଥ ଆଡ଼କୁ ମୁହାଁଇ ଧର । କାନ୍ଥରେ ପଡ଼ୁଥିବା ଆଲୋକକୁ ଲକ୍ଷ୍ୟ କର । ଦେଖିବ ଯେ ଆଲୋକର ଗତିପଥ ବଦଳି ଆଲୋକ କାନ୍ଥରେ ପଡ଼ିଲା । ଏହାକୁ କୁହାଯାଏ ଆଲୋକର ପ୍ରତିଫଳନ ।

Image

ରବର ବଲ୍‍ଟିଏ ତଳେ ଜୋରରେ ପକାଇଲେ ଏହା ଯେପରି ଭୂମି ଛୁଇଁ ଉପରକୁ ଉଠେ । ସେହିପରି ଆଲୋକ ରଶ୍ମି ଅସ୍ୱଚ୍ଛ ପଦାର୍ଥ ଉପରେ ପଡ଼ିଲେ ଏହାକୁ ଭେଦକରି ଯାଇପାରେ ନାହିଁ । ତେଣୁ ଏହା ଯେଉଁ ପାର୍ଶ୍ୱରୁ ଯାଇଥାଏ, ସେହି ପାର୍ଶ୍ଵକୁ ଫେରିଆସେ । ଏହାକୁ କୁହାଯାଏ ପ୍ରତିଫଳନ ।

 

ତୁମମାନଙ୍କ ଭିତରୁ କେହି କେହି ତାଜମହଲ ଦେଖିଥିବ । ଯେଉଁମାନେ ତାଜମହଲ ଦେଖି ନ ଥିବ ବହିରେ ତା’ର ଛବି ଦେଖିଥିବ । ଯମୁନା କୂଳରେ ଅବସ୍ଥିତ ତାଜମହଲର ପ୍ରତିବିମ୍ବ ଯମୁନା ଜଳରେ ବେଶ୍ ଭଲଭାବରେ ଦେଖାଯାଏ ।

Image

ତୁମ ପୋଖରୀ ଚାରିପଟେ ଅନେକ ଗଛ ଥାଏ । ପୋଖରୀ ଜଳ ସ୍ଥିର ଥିଲାବେଳେ ଜଳକୁ ଚାହିଁ ଗଛଗୁଡ଼ିକର ପ୍ରତିବିମ୍ବ ଲକ୍ଷ୍ୟ କର । ଏପରି କାହିଁକି ହୁଏ ?

 

ଆଇନାରେ ତୁମେ ତୁମର ମୁହଁ ଦେଖ । ଆଇନା ଭିତରେ ଯେଉଁ ମୁହଁ ଦେଖାଯାଏ, ତାହା ତୁମ ମୁହଁର ପ୍ରତିବିମ୍ବ ଅଟେ । ତୁମେ ଆଇନାଠାରୁ ଦୂରେଇ ଗଲେ ତୁମ ମୁଖମଣ୍ଡଳର ପ୍ରତିବିମ୍ବ ମଧ୍ୟ ଦୂରେଇ ଯିବ । ମାତ୍ର ଏହାର ଆକାର ସର୍ବଦା ତୁମ ମୁହଁର ଆକାର ସହ ସମାନ ଥିବ । ମାତ୍ର ସବୁ ଅବସ୍ଥାରେ ଦର୍ପଣ ନିକଟରୁ ତୁମର ଦୂରତା ଓ ଦର୍ପଣଠାରୁ ପ୍ରତିବିମ୍ବର ଦୂରତା ସମାନ ରହିବ ।

 

ଆଉ ଗୋଟିଏ କଥା ଲକ୍ଷ୍ୟ କର । ଦର୍ପଣ ସମ୍ମୁଖରେ ତୁମ ବାମ ହାତ ହଲାଅ । ମାତ୍ର ଦର୍ପଣ ଭିତରେ ଡାହାଣ ହାତ ହଲିଲା ପରି ଦେଖାଯିବ । ଏହାକୁ କୁହାଯାଏ ପାର୍ଶ୍ଵ ପରିବର୍ତ୍ତନ ।

Image

ନିଜେ କର–ଏକ ଧଳା ସଫା କାଗଜ ଆଣ । ସେଥିରେ (କ,ଖ,ଗ) ଆଦି ଅକ୍ଷରକୁ ବଡ଼ ବଡ଼ କରି ଲେଖ । ତାହା ସମ୍ମୁଖରେ ଏକ ଦର୍ପଣ ରଖି ଅକ୍ଷରର ଆକାରକୁ ଦେଖ । ତୁମେ ତୁମର ନାମଟି ଲେଖ ଓ ତାହାକୁ ଦର୍ପଣରେ ଦେଖ । ପ୍ରତି କ୍ଷେତ୍ରରେ ତୁମେ ଓଲଟା ଅକ୍ଷର ଦେଖିବାକୁ ପାଇବ । କାରଣ ଅକ୍ଷରଗୁଡ଼ିକ ପାର୍ଶ୍ଵ ପରିବର୍ତ୍ତନ କରିଥାଏ ।

Image

ଏହା ହେଲା ଗୋଟିଏ ସମତଳ ଦର୍ପଣରେ ପ୍ରତିବିମ୍ବ ଗଠନ । ବର୍ତ୍ତମାନ ଦୁଇଟି ସମତଳ ଦର୍ପଣରେ ପ୍ରତିବିମ୍ଵ ଗଠନ ବିଷୟରେ କିଛି ଆଲୋଚନା କରିବା ।

 

ନିଜେ କର–ଦୁଇଟି ଦର୍ପଣ ନିଅ । ସେମାନଙ୍କୁ ବିଭିନ୍ନ କୋଣରେ ରଖ । ଦର୍ପଣ ଦୁଇଟି ମଝିରେ ଏକ ଜଳନ୍ତା ମହମବତୀ ରଖ । ଦର୍ପଣ ଦୁଇଟିର ଭିତରକୁ ଲକ୍ଷ୍ୟ କର । ଦେଖିବ ତା’ ମଧ୍ୟରେ ଅନେକ ମହମବତୀ ଜଳୁଛି । ଏବେ ଦର୍ପଣ ଦୁଇଟିର କୌଣସି ବ୍ୟବଧାନ ବଢ଼ାଅ ଓ ଭିତର ପ୍ରତିବିମ୍ବକୁ ଲକ୍ଷ୍ୟକର । ଏହାପରେ ଦର୍ପଣ ଦୁଇଟିର କୌଣସି ବ୍ୟବଧାନ କମାଇ ଦିଅ ଓ ପ୍ରତିବିମ୍ବକୁ ଲକ୍ଷ୍ୟକର । ଦେଖିବ କୋଣର ବ୍ୟବଧାନ ଯେତେ କମୁଛି, ପ୍ରତିବିମ୍ବ ସଂଖ୍ୟା ସେତେ ବଢ଼ୁଛି । ଏଣୁ ଆମେ ଜାଣିଲୁ ଯେ ପ୍ରତିବିମ୍ବର ସଂଖ୍ୟା ଅନ୍ତର୍ଗତ କୋଣ ଉପରେ ନିର୍ଭର କରେ । ତେଣୁ ତୁମେ ଏକ ମହମବତୀ ଜାଳି ଦର୍ପଣଦ୍ଵୟ ମଧ୍ୟରେ ଅନେକ ମହମବତୀ ଜଳୁଥିବାର ମଜାଦାର ଦୃଶ୍ୟ ଦେଖିବ । ଏହି ପ୍ରକ୍ରିୟାକୁ ବହୁ ପ୍ରତିଫଳନ କୁହାଯାଏ ।

 

ତୁମେ ସେଲୁନରେ ବସି ବାଳ କାଟିଥିବ । ପଛ ପଟରେ ଥିବା ଦର୍ପଣ ସାହାଯ୍ୟରେ ତୁମର ଅନେକ ପ୍ରତିବିମ୍ବ ସୃଷ୍ଟି ହେବା ଲକ୍ଷ୍ୟ କରିଥିବ । ଏହା ମଧ୍ୟ ସେହି ବହୁ ପ୍ରତିଫଳନ ଯୋଗୁଁ ହୁଏ ।

Image

ନିଜେ କର–ଏହି ବହୁ ପ୍ରତିଫଳନ ନିୟମକୁ ବ୍ୟବହାର କରି ତୁମେ ଏକ ପେରିସ୍କୋପ ନିର୍ମାଣ କରିପାରିବ । ଏଥିପାଇଁ କାର୍ଡ଼ବୋର୍ଡ଼ର ଏକ ଆୟତାକାର ନଳ ନିଅ । ଏହା ମଧ୍ୟରେ ଦୁଇଟି ସମତଳ ଦର୍ପଣ ପରସ୍ପର ପ୍ରତି ସମାନ୍ତର ଭାବରେ ରଖ । ଦୁଇଟି ଦର୍ପଣ ନଳପ୍ରତି ୪୫° କୋଣ କରି ରଖିଥିବ ।

 

ଚିତ୍ର ରେ ‘କ’ ସ୍ଥାନରୁ ଆଲୋକରଶ୍ମି ପ୍ରଥମେ ଦର୍ପଣ ‘ଖ’ରେ ପଡ଼ିବ । ଏଠାରୁ ପ୍ରତିଫଳିତ ହୋଇ ଦ୍ଵିତୀୟ ଦର୍ପଣ ‘ଗ’ରେ ପଡ଼ିବ । ଏହା ପୁଣି ଦ୍ଵିତୀୟ ଦର୍ପଣ ‘ଗ’ ରେ ପ୍ରତିଫଳିତ ହୋଇ 'ଘ' ଠାରେ ଅର୍ଥାତ୍ ଦର୍ଶକର ଚକ୍ଷୁରେ ପଡ଼ିବ ।

Image

ଏସବୁ ଗଲା ସମତଳ ଦର୍ପଣରେ ଆଲୋକ ରଶ୍ମିର ଖେଳ । ଏହି ସମତଳ ଦର୍ପଣ ଛଡ଼ା ଏପରି କେତେକ ଦର୍ପଣ ଅଛି ଯାହାର ପୃଷ୍ଠତଳ ସମତଳ ନ ହୋଇ ବକ୍ର ହୋଇଥାଏ । ବର୍ତ୍ତମାନ ଏମାନଙ୍କ ମଧ୍ୟଦେଇ ଆଲୋକରଶ୍ମି କିପରି ଗତି କରୁଛି ଦେଖିବା ।

 

ତୁମେ ଦେଖିଥିବ ମଟର ଓ ମଟର ସାଇକେଲ ଚାଳକମାନେ ତାଙ୍କ ସମ୍ମୁଖରେ ଏକ ଦର୍ପଣ ରଖିଥାନ୍ତି । ଏହି ଦର୍ପଣଟି ସେମାନଙ୍କୁ ପଛରୁ ଆସୁଥିବା ଯାନବାହାନକୁ ଦେଖିବାରେ ସାହାଯ୍ୟ କରେ । ହାତ ମାରିଲେ ଜାଣିପାରିବ ଏହି ଦର୍ପଣର ଉପରିଭାଗ ଉଚ୍ଚା ଅଟେ । ଏହାକୁ କୁହାଯାଏ ଉତ୍ତଳ ଦର୍ପଣ । ଏଥିରେ ଅନେକ ଦୂରରୁ ବସ୍ତୁରୁ ଆସୁଥିବା ଆଲୋକରଶ୍ମି କ୍ଷୁଦ୍ର ସିଧା ପ୍ରତିବିମ୍ଵ ଗଠନ କରେ । ସେଥିପାଇଁ ଚାଳକ ପଛରୁ ଆସୁଥିବା ଯାନବାହାନକୁ ଏଥିରେ ଦେଖିପାରେ । ସେହି ଅନୁଯାୟୀ ସେ ଆଗକୁ ମୁହଁ କରି ବସିଥିଲେ ମଧ୍ୟ ନିଜର ଗାଡ଼ିକୁ ପଛ ଯାନବାହାନର ପ୍ରତିବିମ୍ବ ଦେଇ ଚଳାଇ ନେଇଯାଏ । ଏହା ଛଡ଼ା ରାସ୍ତାର ବତୀଖୁଣ୍ଟରେ ମଧ୍ୟ ଉତ୍ତଳ ଦର୍ପଣର ପ୍ରତିଫଳକ ଲଗାହୋଇଥାଏ । ଏହାଦ୍ୱାରା ବତୀର ଆଲୋକ ପ୍ରତିଫଳିତ ହୋଇ ରାସ୍ତାର ବହୁ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼େ ।

 

ଏହା ବ୍ୟତୀତ ଆଉ ଏକପ୍ରକାର ଦର୍ପଣ ଅଛି, ଯାହାର ମଝି ଅଂଶ ଖାଲୁଆ ଓ ପାର୍ଶ୍ଵ କ୍ରମଶଃ ମୋଟାଳିଆ ହୋଇଥାଏ I ତୁମେ କ୍ଷୌର ହେଲାବେଳେ ଲକ୍ଷ୍ୟ କରିଥିବ ତୁମ ସାମ୍ନାରେ ଏହି ଦର୍ପଣ ଥାଏ । ଏଥିରେ ମୁହଁ ବଡ଼ ଦେଖାଯାଏ ଓ ପ୍ରତିଟି ଅଂଶ ସ୍ପଷ୍ଟ ଦେଖାଯାଏ । ଏହାକୁ କୁହାଯାଏ ଅବତଳ ଦର୍ପଣ । ଏହି ଦର୍ପଣର ଅତି ନିକଟରେ ବସ୍ତୁ ରଖିଲେ ପ୍ରତିବିମ୍ବ ବସ୍ତୁଠାରୁ ବଡ଼ ଦେଖାଯାଏ । ବେଳେବେଳେ ଛୋଟ ପ୍ରତିବିମ୍ବ ମଧ୍ୟ ମିଳେ । ମାତ୍ର ପ୍ରତିବିମ୍ବ ବାସ୍ତବ ହୋଇଥାଏ । ଅବତଳ ଦର୍ପଣର ଏହି ଧର୍ମକୁ ପ୍ରୟୋଗ କରି ମଟର, ରେଳଗାଡ଼ି, ମଟର ସାଇକେଲର ହେଡ଼୍‍ଲାଇଟ୍ ଇତ୍ୟାଦି ତିଆରି ହୋଇଥାଏ । ଏହା ଭିତରେ ଅବତଳ ପ୍ରତିଫଳକ ଖଞ୍ଜା ଯାଇଥାଏ-। ଏହା ଆଲୋକ ସଂଗ୍ରହ କରି ପ୍ରତିଫଳିତ କରାଏ । ଫଳରେ ଅଧିକ ଆଲୋକ ମିଳେ-। ଦାନ୍ତ, କାନ, ନାକ ଓ ଗଳାକୁ ଚିକିତ୍ସା କରୁଥିବା ଡାକ୍ତରମାନେ ଅବତଳ ଦର୍ପଣର ପ୍ରତିଫଳକ ବ୍ୟବହାର କରି ଆଲୋକକୁ ଠିକ୍ ସ୍ଥାନରେ ପକାଇ ପାରନ୍ତି-। ଶିକାରୀ ମଧ୍ୟ ଶିକାର ପାଇଁ ଏହି ଦର୍ପଣ ତା’ ଆଲୋକରେ ବ୍ୟବହାର କରେ ।

 

ପ୍ରତିସରଣ–ଆମେ ଜାଣୁ ଯେ ଆଲୋକ ଏକ ସରଳରେଖାରେ ଗତି କରେ । ମାତ୍ର ଆଲୋକରଶ୍ମି ଗୋଟିଏ ମାଧ୍ୟମରେ ଗତି କଲାବେଳେ ଏହି ସତ୍ୟ ପାଳନ କରେ । ମାତ୍ର ଯେତେବେଳେ ଏହା ଗୋଟିଏ ମାଧ୍ୟମରୁ ଅନ୍ୟ ମାଧ୍ୟମକୁ ପ୍ରବେଶ କରେ ସେତେବେଳେ ଦୁଇ ମାଧ୍ୟମର ପୃଷ୍ଠରେ ଦିଗ ପରିବର୍ତ୍ତନ କରେ । ନୂଆ ମାଧ୍ୟମରେ ପୁନର୍ବାର ସରଳରେଖାରେ ଗତି କରେ । ଆଲୋକର ଗତିପଥରେ ଏପ୍ରକାର ପରିବର୍ତ୍ତନକୁ ପ୍ରତିସରଣ କୁହାଯାଏ ।

 

ନିଜେ କର–ଏକ କାଚ ବିକର ନିଅ । ସେଥିରେ ଗୋଟିଏ ଟଙ୍କିକିଆ ମୁଦ୍ରା ପକାଅ । ମୁଦ୍ରା ଆଡ଼କୁ ଅନାଇ ଅନାଇ ସେ ସ୍ଥାନକୁ ଚିହ୍ନଟ କର । ବର୍ତ୍ତମାନ ପାତ୍ରରେ କିଛି ପାଣି ପୁରାଅ । ଚିହ୍ନଟ କରିଥିବା ସ୍ଥାନକୁ ଯାଇ ମୁଦ୍ରା ଆଡ଼କୁ ଅନାଅ । ଏବେ ସେହି ସ୍ଥାନରେ ତୁମେ ମୁଦ୍ରାକୁ ଦେଖିପାରିବ । ବର୍ତ୍ତମାନ ଆଲୋକରଶ୍ମି ଦୁଇଟି ମାଧ୍ୟମ ଅର୍ଥାତ୍ ଜଳ ବାୟୁକୁ ଅତିକ୍ରମ କରି ଆସିଲା । ଅର୍ଥାତ୍ ଏଠାରେ ଆଲୋକର ପ୍ରତିସରଣ ଘଟିଲା ।

Image

(ଖ) ଏକ ଜଳପୂର୍ଣ୍ଣ ବାଲ୍‍ଟିକୁ ନିଅ । ଏହି କାରଣରୁ ମଧ୍ୟ ଏହାର ତଳଭାଗ ଉପରକୁ ଉଠିଲାପରି ଜଣାଯିବ ।

 

(ଗ) ତୁମେ ତୁମ ଘର ପାଖରେ ଥିବା ଏକ ପୋଖରୀ ବା ନଦୀ ନିକଟକୁ ଯାଅ । ଜଳ ସ୍ଥିର ଥିଲାବେଳେ ଏହାର ଜଳଭାଗକୁ ଚାହିଁ ଦେଖ । ପହଁରୁଥିବା ମାଛମାନଙ୍କୁ ଲକ୍ଷ୍ୟ କର । କୌଣସିଟିର ଗଭୀରତା ତୁମେ ସଠିକ୍ ଭାବରେ ଜାଣିପାରିବ ନାହିଁ । ପ୍ରତିଟି ନିକଟକୁ ଦେଖାଗଲେ ମଧ୍ୟ ଏହା ବହୁ ଦୂରରେ ଥିବେ । ଏସବୁ ମଧ୍ୟ ଏହି ପ୍ରତିସରଣ ଯୋଗୁଁ ହୋଇଥାଏ ।

 

ନିଜେ କର–ପୂର୍ବପରି ଏକ ଜଳପୂର୍ଣ୍ଣ ବିକର ଆଣ । ଏଥୁମଧ୍ୟରେ ଥିବା ଖଣ୍ଡେ ଛୋଟ ବାଡ଼ି ପ୍ରବେଶ କରାଅ । ଉପରେ ଚାହିଁ ଦେଖ । ତୁମେ ସିଧା ବାଡ଼ିଟିଏ ଜଳରେ ରଖୁଥିଲେ ମଧ୍ୟ ତୁମକୁ ଏହା ବଙ୍କା ଦେଖାଯିବ । ଏହା ମଧ୍ୟ ସେହି ପ୍ରତିସରଣ ଯୋଗୁଁ ଘଟିଥାଏ ।

Image

ପୂର୍ଣ୍ଣ ପ୍ରତିଫଳନ–ତୁମେମାନେ ବହିରୁ ମରୀଚିକା ବିଷୟରେ ପଢ଼ିଥିବ । ଏହା ସାଧାରଣତଃ ମରୁଭୂମିରେ ଦେଖାଯାଏ । ମରୁଭୂମିରେ ଯାଉ ଯାଉ ପଥିକ ଦୂରରେ ଥିବା ପ୍ରତିବିମ୍ବର ଓଲଟା ପ୍ରତିବିମ୍ବ ଦେଖେ । ଏଥିରୁ ସେ ଭାବେ ନିଶ୍ଚୟ ସେଠାରେ ଜଳ ଅଛି । ମାତ୍ର ସେ ଯେତେ ନିକଟତ୍ତର ହେଉଥାଏ ଏହି ଜଳ ସେତେ ଦୂରେଇ ଯାଏ, ଏହାକୁ ହିଁ କୁହାଯାଏ ମରୀଚିକା । ଏହା ପୂର୍ଣ୍ଣ ପ୍ରତିଫଳନ ଯୋଗୁଁ ହୁଏ । ଏହା ପ୍ରତିଫଳନର ସମସ୍ତ ନିୟମମାନେ ମାତ୍ର ଆପତିତ ସମୟରେ ଆଲୋକରଶ୍ମି ପ୍ରତିଫଳିତ ହୁଏ । ଫଳରେ ବସ୍ତୁଟି ଆମକୁ ଉଜ୍ଜ୍ଵଳ ଦେଖାଯାଏ-

 

(କ) ମରୁଭୂମି ଛଡ଼ା ମେରୁ ଅଞ୍ଚଳରେ ମଧ୍ୟ ଏକପ୍ରକାର ମରୀଚିକା ଦେଖାଯାଏ । ତୁମେ ବହିରେ ପଢ଼ିଥିବ ଯେ ସମୟେ ସମୟେ ବରଫପୂର୍ଣ୍ଣ ମେରୁ ଅଞ୍ଚଳରେ ଜାହାଜମାନ ଉପରେ ଓଲଟା ହୋଇ ଭାସିବାର ଦେଖାଯାଏ । ଏହାକୁ ମେରୁ ଅଞ୍ଚଳର ଶୀତଳ ମରୀଚିକା କୁହାଯାଏ । କାରଣ ଆମେ ଜାଣିଛୁ ଯେ ମେରୁ ଅଞ୍ଚଳର ବାୟୁମଣ୍ଡଳ ଅତ୍ୟଧିକ ଥଣ୍ଡା ଅଟେ । ଫଳରେ ବାୟୁର ସାନ୍ଧ୍ରତା ନିମ୍ନ ସ୍ତରକୁ ବଢ଼ି ବଢ଼ି ଯାଇଥାଏ । ଏହା ଫଳରେ ଆଲୋକରେ ପୂର୍ଣ୍ଣ ପ୍ରତିଫଳନ ଘଟି ଆମକୁ ଓଲଟା ପ୍ରତିବିମ୍ବ ଦେଖାଯାଏ ।

 

ନିଜେ କର–ଗୋଟିଏ ଜଳପୂର୍ଣ୍ଣ ପାତ୍ର ଆଣ । ଏହାର ଗୋଟିଏ ପଟେ ଛୋଟ ଏକ ଛିଦ୍ର ଥିବ । ଛିଦ୍ର ସମ୍ମୁଖରେ ଆରପଟେ ଆଉ ଏକ ବାଟ ଥିବ । ଗୋଟିଏ ଉତ୍ତଳ ଯବକାଚ ଆଣ, ଯାହାର ଫୋକସ ଦୂରତା ପାତ୍ରଟିର ଚଉଡ଼ା ସହ ସମାନ ଥିବ । ଏହି ଯବକାଚଟିକୁ ସେହି ପଥ ମଧ୍ୟରେ ଟାଇଟ୍ କରି ଲଗାଅ । ଯବକାଚ ଦେଇ ଚାହଁ ଦେଖିବ ଯେ ସେପଟ ଛିଦ୍ର ମଧ୍ୟଦେଇ ଯାଉଥିବା ପାଣି ଖୁବ୍ ଉଜ୍ଜ୍ଵଳ ଓ ଚକ୍ ଚକ୍ କରୁଛି । ଏହା ମଧ୍ୟ ପୂର୍ଣ୍ଣ ପ୍ରତିଫଳନର ଏକ ଦୃଷ୍ଟାନ୍ତ ।

Image

ନିଜେ କର–(୧) ଗୋଟିଏ ପରୀକ୍ଷା ନଳୀ ଆଣ । ଏହାର ଖୋଲାପଟକୁ ଉପରକୁ ରଖି ତୀର୍ଯ୍ୟକଭାବରେ ଏକ ଜଳପୂର୍ଣ୍ଣ ପାତ୍ରରେ ପ୍ରବେଶ କରାଅ । ଦେଖିବ ନଳୀଟି ଚିକ୍‍କଣ ଧାତବୀୟ ପୃଷ୍ଠପରି ଉଜ୍ଜ୍ଵଳ ଦେଖାଯିବ । ଏହା ପୂର୍ଣ୍ଣ ପ୍ରତିଫଳନ ଯୋଗୁଁ ହୋଇଥାଏ । ଏହାପରେ ନଳୀ ମଧ୍ୟରେ କିଛି ଜଳ ପୂରାଇ ଦିଅ । ଦେଖିବ ଯେ ନଳୀଟି ପୂର୍ବପରି ଏତେ ଉଜ୍ଜ୍ଵଳ ଦେଖାଯାଉ ନାହିଁ । ଏହାର କାରଣ ହେଉଛି ଯେ ନଳୀ ଭିତରେ ଓ ବାହାରେ ଜଳ ଥିବାରୁ ଆଉ ପୂର୍ଣ୍ଣ ପ୍ରତିଫଳନ ଘଟିଲା ନାହିଁ । ତେଣୁ ନଳୀଟି ପୂର୍ବପରି ଉଜ୍ଜ୍ଵଳ ଦେଖାଗଲା ନାହିଁ ।

Image

(୨) ଗୋଟିଏ କଳାଧୂମ ବୋଳା ଧାତବ ବଲ୍‍ବ ଆଣ । ଏହାକୁ ବିକର ମଧ୍ୟରେ ଥିବା ଜଳରେ ବୁଡ଼ାଅ । ଆଶ୍ଚର୍ଯ୍ୟର କଥା ଯେ ଏହା ରୂପାଭଳି ଧଳା ଦେଖାଯିବ । ଏହାର କାରଣ ହେଉଛି ବଲ୍‍ବ ଧୂମଦ୍ୱାରା ଆବୃତ ହୋଇଥିବାରୁ ବଲ୍‍ବ ଏହି ଜଳ ମଧ୍ୟରେ ଗୋଟିଏ ପତଳା ବାୟୁର ସ୍ତର ରହିଥାଏ । ଜଳ ମଧ୍ୟଦେଇ ଆସୁଥିବା ଆଲୋକ ଏହି ବାୟୁସ୍ତରରେ ପୂର୍ଣ୍ଣ ପ୍ରତିଫଳିତ ହୋଇ ବଲ୍‍ବକୁ ଉଜ୍ଜ୍ଵଳ କରିଦିଏ ।

 

ଆଲୋକର ରଙ୍ଗ–ଆଲୋକର ରଙ୍ଗ କ'ଣ ? କେହି ଯଦି ତୁମକୁ ଏହି ପ୍ରଶ୍ନଟି ପଚାରେ ତୁମେ ଉତ୍ତର ଦେବ ଆଲୋକର ରଙ୍ଗ ଧଳା । ମାତ୍ର ବାସ୍ତବରେ ପ୍ରାକୃତିକ ଆଲୋକ ବା ଧଳା ଆଲୋକ ସାତଟି ରଙ୍ଗକୁ ନେଇ ଗଢ଼ା । ସେଗୁଡ଼ିକ ହେଲା–ବାଇଗଣି, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ । ବା-ଘ-ନୀ-ସ-ହ-ନା-ଲା । ବୈଜ୍ଞାନିକ ସାର୍ ଆଇଜାକ୍ ନିଉଟନ ପ୍ରଥମେ ବର୍ଣ୍ଣ ସମ୍ବନ୍ଧରେ କେତେଗୋଟି ପରୀକ୍ଷା କରି ଏହି ଧାରଣା ଦେଇଥିଲେ । ସେ ଧଳା ସୂର୍ଯ୍ୟାଲୋକକୁ ପ୍ରିଜିମ୍ ମଧ୍ୟଦେଇ ପ୍ରବେଶ କରାଇ ନିର୍ଗତ ରଶ୍ମିରେ ସାତଗୋଟି ରଙ୍ଗକୁ ଦେଖିଥିଲେ । ତୁମେ ଇନ୍ଦ୍ରଧନୁରେ ଏଇ ସାତଟି ରଙ୍ଗକୁ ସ୍ପଷ୍ଟ ଦେଖିପାରିବ । ଅଳ୍ପ ଅଳ୍ପ ବର୍ଷା ହୋଇ ଛାଡ଼ିଯିବା ପରେ ଅଳ୍ପ ଖରା ପଡ଼ିଲେ ଆକାଶରେ ସାତରଙ୍ଗର ଇନ୍ଦ୍ରଧନୁଟିଏ ହସିଉଠେ । ଇନ୍ଦ୍ରଧନୁ ପଡ଼ିଥିବା ବେଳେ ତାହାକୁ ଚାହିଁ ସେଥିରେ ଥିବା ବିଭିନ୍ନ ରଙ୍ଗ ଚିହ୍ନିବାକୁ ଚେଷ୍ଟା କର । ଏଠାରେ ବର୍ଷାଜଳର ଛୋଟ ଛୋଟ ପାଣିଟୋପା ପ୍ରିଜିମ୍ ପରି କାମ କରେ I

 

ନିଜେ କର–ତୁମେ ଚାହିଁଲେ ଘର ଭିତରେ ଇନ୍ଦ୍ରଧନୁଟିଏ ସୃଷ୍ଟି କରିପାରିବ । ଝରକା ସାମନାରେ ଚଟାଣ ଉପରେ ଗୋଟିଏ ବଡ଼ ଧଳା କାଗଜ ବିଛାଇ ରଖ । ଝରକା ମଧ୍ୟଦେଇ ସୂର୍ଯ୍ୟଙ୍କ କିରଣ ଆସିବା ଦରକାର । ଗୋଟିଏ କାଚଗ୍ଲାସକୁ ସମ୍ପୂର୍ଣ୍ଣ ଭାବରେ ଜଳପୂର୍ଣ୍ଣ କରି ଚଟାଣର କାଗଜ ଉପରେ ଏପରି ରଖ ଯେପରି ଜଳର ଉପରିଭାଗ ଦେଇ ସୂର୍ଯ୍ୟାଲୋକ ପ୍ରବେଶ କରିବ । ଏଠାରେ ଗ୍ଲାସରେ ଥିବା ଜଳ ପ୍ରିଜିମ୍ ପରି କାମ କରିବ ଓ ଚଟାଣ ଉପରେ ଥିବା ଧଳାକାଗଜ ଉପରେ ଇନ୍ଦ୍ରଧନୁ ସୃଷ୍ଟି ହେବ ।

 

(୨) ଆକାଶରେ ସୂର୍ଯ୍ୟ ଥିଲାବେଳେ ସୂର୍ଯ୍ୟଙ୍କ ଆଡ଼କୁ ପିନ୍ କର । ପାଣି କିଛି ପାଟିରେ ପୂରାଇ କୁଳୁକୁଞ୍ଚା କରି ବାହାରକୁ ଫିଙ୍ଗ । ବାହାରକୁ ପଡ଼ୁଥିବା କ୍ଷୁଦ୍ର ଜଳବିନ୍ଦୁଗୁଡ଼ିକରେ ତୁମେ ଇନ୍ଦ୍ରଧନୁର ସାତରଙ୍ଗ ଦେଖିପାରିବ ।

 

ସୂର୍ଯ୍ୟଙ୍କ ଧଳା ଆଲୋକ ଏହିପରି ବିଭିନ୍ନ ରଙ୍ଗରେ ଭାଙ୍ଗିଯିବାକୁ ଆମେ କହୁ ଆଲୋକର ବିକ୍ଷେପଣ । ତୁମେ ଚାହିଁଲେ ଏହାକୁ ନିଜେ ପ୍ରମାଣ କରିପାରିବ ।

 

ନିଜେ କର–ଗୋଟିଏ ବୃତ୍ତାକାର କାର୍ଡ଼ବୋର୍ଡ଼ ଆଣ । ଏହାକୁ ସାତଭାଗରେ ବିଭକ୍ତ କର । ବାଇଗଣି, ନୀଳ, ଲାଲ, କଳା, ସବୁଜ ଆଦି ବିଭିନ୍ନ ରଙ୍ଗ ଦ୍ଵାରା ପ୍ରତିଟି ଭାଗକୁ ବୁଡ଼ାଇ ଦିଅ-। ଏହାର କେନ୍ଦ୍ରରେ ଏକ ବାଡ଼ି ପ୍ରବେଶ କରାଅ, ଯେପରି ଏହି ବୃତ୍ତାକର କାର୍ଡ଼ବୋର୍ଡ଼ଟି ବାଡ଼ିଟିର ଚାରିପଟେ ଘୂରିବ । ବର୍ତ୍ତମାନ କାର୍ଡ଼ବୋର୍ଡ଼ଟିକୁ ଘୂରାଅ । ଦେଖିବ ଏହି କାର୍ଡ଼ବୋର୍ଡ଼ଟି ବିଭିନ୍ନ ରଙ୍ଗ ପରିବର୍ତ୍ତେ ଧଳା ଦେଖାଯିବ । ଏଥିରୁ ତୁମେ ଜାଣିଲ ଯେ ଧଳାରଙ୍ଗ ସାତରଙ୍ଗର ଏକ ମିଶ୍ରଣ-

 

(ଖ) ତୁମ ଶିକ୍ଷକ ତୁମକୁ ଆଲୋକ ଅଧ୍ୟାୟ ପଢ଼ାଇଲାବେଳେ ବର୍ଣ୍ଣଚକ୍ର ଦେଖାଇ ଥିବେ । ମନେପକାଅ । ଏହା ହେଉଛି ଆଠରୁ ଦଶ ସେ.ମି ବ୍ୟାସାର୍ଦ୍ଧ ବିଶିଷ୍ଟ କାର୍ଡ଼ବୋର୍ଡ଼ ଖ୍ୟାତି । ଏହାକୁ ସାତ ଭାଗ କରାଯାଇଥାଏ । ପ୍ରତ୍ୟେକ ଭାଗକୁ ବିଭିନ୍ନ ରଙ୍ଗରେ ରଙ୍ଗା ଯାଇଥାଏ । ଏହା ପଛରେ ଏକ ହ୍ୟାଣ୍ଡେଲ୍ ଥାଏ । ହ୍ୟାଣ୍ଡଲ୍‍କୁ ଘୂରାଇଲେ ଏହା ଘୂରେ । ଶିକ୍ଷକ ଘୂରାଇଲା ବେଳେ ଲକ୍ଷ୍ୟକର ଏହା କେଉଁ ରଙ୍ଗରେ ବେଖାଯାଉଛି । ସ୍ଥିର ଥିଲାବେଳେ ଲକ୍ଷ୍ୟ କର । ଉଭୟ ଅବସ୍ଥାରେ ଥିବା ପାର୍ଥକ୍ୟକୁ ମନେମନେ ତଉଲି ନିଅ ।

Image

ଏବେ ତୁମେ ନିଶ୍ଚୟ ଜାଣିପାରିଲ ଯେ, ସୂର୍ଯ୍ୟଙ୍କ ଧଳା ଆଲୋକ ସାତଗୋଟି ରଙ୍ଗର ମିଶ୍ରଣ ଅଟେ ।

 

ପଦାର୍ଥର ରଙ୍ଗ–ତୁମ ବାଡ଼ି ବଗିଚାରେ ଫୁଟିଥିବା ଅସଂଖ୍ୟ ଫୁଲକୁ ଚାହଁ । ଏହା ନାନା ରଙ୍ଗରେ ଉଜ୍ଜ୍ଵଳ ହୋଇ ହସୁଛି। ସବୁଜରଙ୍ଗର ପତ୍ର ବି ହସୁଛି । ମନରେ ପ୍ରଶ୍ନ ଆସେ ଏତେ ସବୁ ରଙ୍ଗ ଆସିଲା କୁଆଡ଼ୁ ? କୌଣସି ବସ୍ତୁ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଏହା କେତେକ ରଙ୍ଗକୁ ଶୋଷଣ କରିନିଏ । ଯେଉଁ ବର୍ଣ୍ଣକୁ ଶୋଷଣ କରିପାରେ ନାହିଁ, ସେହି ବର୍ଣ୍ଣରେ ପ୍ରତିଫଳିତ ହୁଏ । ପତ୍ର ଉପରେ ଧଳା ସୂର୍ଯ୍ୟାଲୋକ ପଡ଼ିଲେ ଏହା ସବୁଜରଙ୍ଗ ବ୍ୟତୀତ ସବୁ ରଙ୍ଗ ଶୋଷଣ କରେ । ତେଣୁ ସବୁଜବର୍ଣ୍ଣ ପତ୍ରରେ ପ୍ରତିଫଳିତ ହୁଏ ଓ ଆମେ ପତ୍ରକୁ ସବୁଜବର୍ଣ୍ଣରେ ଦେଖୁ । ବସ୍ତୁଟି ଯଦି କୌଣସି ବର୍ଣ୍ଣ ଶୋଷଣ କରେ ନାହିଁ ତେବେ ବସ୍ତୁଟି ଧଳା ଦେଖାଯାଏ ।

Image

ଚକ୍ଷୁ–ଏହିସବୁ ରଙ୍ଗ ହେଉ ବା ବସ୍ତୁ ହେଉ ସେମାନଙ୍କୁ ଯାହା ସାହାଯ୍ୟରେ ଦେଖୁପାରୁ ତାକୁ କୁହାଯାଏ ଚକ୍ଷୁ । ଏକ ଦର୍ପଣ ନେଇ ତୁମେ ତୁମର ଆଖି ଦୁଇଟିକୁ ଦେଖ । ଏହାର ଭ୍ରୂଲତା, ଆଖିଡୋଳା, ଆଖିପତା ଆଦି ନାନା ଅଂଶ ଅଛି । ଦୂରବୀକ୍ଷଣ ଓ ଅଣୁବୀକ୍ଷଣ ଯନ୍ତ୍ର ପରି ଏହା ହେଉଛି ଏକ ଆଲୋକ ଯନ୍ତ୍ର ।

 

ଆଖିରେ ଭରି ରହିଛି ଏକପ୍ରକାର ତରଳ ପଦାର୍ଥ ଏହାକୁ କୁହାଯାଏ ଲୁହ । ଏହା ଆଖରୁ ମଇଳା ଧୋଇଦିଏ । ଏହାର ସମ୍ମୁଖ ଭାଗରେ ଏକ ସ୍ଵଚ୍ଛ ଅଂଶ ଥାଏ । ଏହାକୁ କୁହାଯାଏ ସ୍ଵଚ୍ଛପଟଳ । ଏହା ପଛକୁ ଥାଏ କନୀନିକା । କନୀନିକାରେ ଥାଏ ଏକ ରନ୍ଧ୍ର । ତାହାକୁ କୁହାଯାଏ ତାରା ରନ୍ଧ୍ର । ଏହା ଆବଶ୍ୟକ ଅନୁଯାୟୀ ସଂକୁଚିତ ଓ ପ୍ରସାରିତ ହୋଇ ଆଖି ଭିତରକୁ ଆଲୋକ ଛାଡ଼େ । ଏହାର ପଛପଟକୁ ଥାଏ ଆଖି ଲେନ୍ସ ।

 

ଆମେ କୌଣସି ବସ୍ତୁକୁ ଦେଖିଲେ ଏହାର ଓଲଟା ପ୍ରତିବିମ୍ବ ମକୁରିକାରେ ପଡ଼େ । ନେତ୍ରସ୍ନାୟୁମାନେ ଏହି ବସ୍ତୁର ଧାରଣା ମସ୍ତିଷ୍କକୁ ଦିଅନ୍ତି । ଓଲଟା ବସ୍ତୁକୁ ମସ୍ତିଷ୍କ ସିଧା ଭାବରେ ଦେଖିବାରେ ଅଭ୍ୟସ୍ତ ହୋଇଥିବାରୁ ଆମେ ବସ୍ତୁର ପ୍ରକୃତ ଅବସ୍ଥା ଦେଖୁ । ଆମ ଆଖିଟି ବାହାରକୁ ଛୋଟିଆ ବଲ୍‍ବ ପରି ଦେଖାଯାଏ । ମାତ୍ର ଏହା ଭିତରେ ତମ ଯନ୍ତ୍ରପାତି ଖଞ୍ଜା ହୋଇଛି ।

 

ବସ୍ତୁକୁ ଦେଖିବା ବେଳେ ଆଖିରେ ଥିବା ଲେନ୍ସ ବିଭିନ୍ନ ପ୍ରକାରର ବଦଳି ଯାଏ । ଆମେ ପାଖ ଜିନିଷ ଦେଖିଲା ବେଳେ ଏହି ଲେନ୍ସଟି ମୋଟା ଏବଂ ଲମ୍ବାଳିଆ ହୋଇଯାଏ ।

 

ତୁମ ଆଖି ସୁସ୍ଥ ଥିଲେ ତୁମେ ବହୁତ ଦୂର ପର୍ଯ୍ୟନ୍ତ ଜିନିଷକୁ ଭଲଭାବରେ ଦେଖିପାରିବ । ମାତ୍ର ଖୁବ୍ କମ୍ ଦୂରରୁ ଦେଖିପାରିବ ନାହିଁ ।

 

ନିଜେ କର–ଗୋଟିଏ ବହି ଆଣ । ଏହାକୁ ଆଖିଠାରୁ କିଛି ଦୂରରେ ରଖ । ଦେଖ ଭଲଭାବରେ ପଢ଼ି ହେଉଛି । ଆଉ ଟିକିଏ ନିକଟକୁ ଆଣ । ଦେଖ ଭଲଭାବରେ ମଧ୍ୟ ପଢ଼ି ହେଉଛି । ଆହୁରି ନିକଟକୁ ଆଣ । ଅତି ନିକଟକୁ ଆଣିଲେ ଦେଖିବ ଯେ ଆଉ ଅକ୍ଷରଗୁଡ଼ିକୁ ସ୍ପଷ୍ଟ ଭାବେ ପଢ଼ି ହେଉନାହିଁ । ଅତି କମରେ ବସ୍ତୁଟିଏ ପଚିଶ ସେ.ମି. ଦୂରରେ ରହିଲେ ଜଣେ ସୁସ୍ଥ, ସାଧାରଣ ଆଖି ଥିବା ମଣିଷଟିଏ ବସ୍ତୁକୁ ଭଲଭାବରେ ଦେଖିପାରିବ । ଏହାଠାରୁ କମ୍ ଦୂରତାରେ ରହିଲେ ବସ୍ତୁ ସ୍ପଷ୍ଟ ଭାବେ ଦେଖାଯିବ ନାହିଁ । ଏହାକୁ ସ୍ପଷ୍ଟ ଦର୍ଶନର ନିମ୍ନତମ ଦୂରତା ବୋଲି କୁହାଯାଏ ।

 

ଏଥିରୁ ଆମେ ଜାଣିଲୁ ଯେ ଆମେ ଯେତେ ଯାହା ଦେଖୁ, ସେ ସବୁର ଗୋଟିଏ ଲେଖାଏଁ ଫଟୋ ଆମ ଆଖି ଭିତରେ ଉଠିଯାଏ । ଦିନକ ଭିତରେ ଲକ୍ଷ ଲକ୍ଷ ଫଟୋ ଆମ ଆଖି ଭିତରେ ଉଠିଯାଉଛି ! ମାତ୍ର ଏହି ଛବିଟିମାନ ଆଖି ଭିତରେ ବେଶି ସମୟ ରୁହେ ନାହିଁ । ତାହା ସଙ୍ଗେ ସଙ୍ଗେ ଲିଭିଯାଏ । ତେଣୁ ଆମେ ଏତିକି ଅତ୍ୟନ୍ତ ଜାଣିଲୁ ଯେ ଆମ ଆଖି ହେଉଛି ଏକ ଫଟୋଉଠା କ୍ୟାମେରା ।

 

ହେଲେ ଆଖି ଭିତରେ ଫଟୋ ଉଠିବାର ଏକ କୌଶଳ ଅଛି । କୌଣସି ଜିନିଷର ପ୍ରତିବିମ୍ଵ ଉଠିଲା ଆଗରୁ ଯେବେ ସେ ଜିନିଷଟି ସ୍ଥାନ ପରିବର୍ତ୍ତନ କରିଥାଏ, ତାହାକୁ ଆମେ ସ୍ପଷ୍ଟ କରି ଦେଖିପାରୁ ନାହିଁ । ତୁମେ ଲକ୍ଷ୍ୟ କରିଥିବ ଏହି କାରଣରୁ ରେଳଗାଡ଼ି ଚାଲିଲାବେଳେ ତା’ ଚକର ଅର ଦେଖାଯାଏ ନାହିଁ ।

Image

ନିଜେ କର–ଗୋଟିଏ କାଗଜପଟା ଆଣ । ଏହାର ଗୋଟିଏ ପଟରେ ଏକ ପଞ୍ଜୁରୀ ଚିତ୍ର କର ଓ ଅନ୍ୟପଟେ ଏକ ଚଢ଼େଇର ଚିତ୍ର ଆଙ୍କିଦିଅ । ବର୍ତ୍ତମାନ ଉକ୍ତ କାଗଜପଟାରେ ମଝିରେ ଏକ ବାଡ଼ି ପ୍ରବେଶ କରାଅ । କାଗଜପଟାଟିକୁ ଏହି ବାଡ଼ିଟିର ଚାରିପଟେ ଜୋରରେ ଘୂରାଅ । ଏବେ କାଗଜଟି ଜୋରରେ ଘୂରୁଥିଲା ବେଳେ ଲକ୍ଷ୍ୟ କର । ଦେଖିବ ଯେପରି ପଞ୍ଜୁରୀ ମଧ୍ୟରେ ରହିଅଛି ।

 

କ୍ୟାମେରା–ଏବେ ଆମେ ଦେଖିବା କ୍ୟାମେରା ସାହାଯ୍ୟରେ କିପରି ଫଟୋ ଉଠାଯାଏ-। କ୍ୟାମେରା ଦେଖିବାକୁ ଏକ ବାକ୍ସଭଳି । ଏହା ଏକ ଅନ୍ଧକାର ପୂର୍ଣ୍ଣ ପ୍ରକୋଷ୍ଠ ବ୍ୟତୀତ କିଛି ନୁହେଁ-। ଏହା ସମ୍ମୁଖରେ ଏକ କଣା ଥାଏ । ଏହା ଭିତରେ ଉତ୍ତଳ ଯବକାଚ ଥାଏ । କ୍ୟାମେରାର ଏହି ଲେନ୍ସ ସମ୍ମୁଖରେ ଏକ ବସ୍ତୁ ରଖିଲେ ସେଥିରୁ ପ୍ରତିଫଳିତ ରଶ୍ମି ଲେନ୍ସ ମଧ୍ୟଦେଇ ଏହି କ୍ୟାମେରା ଭିତରେ ପଡ଼େ । ତାହା ଚକ୍ଷୁପରି ଓଲଟା ହୋଇଥାଏ । ଏହି ପ୍ରତିଛବି ସ୍ପଷ୍ଟ ଓ ସୁନ୍ଦର ହେବାପାଇଁ କ୍ୟାମେରାର ନାନା ବନ୍ଦୋବସ୍ତ ଥାଏ । କ୍ୟାମେରା ଭିତରେ ନାନା ରାସାୟନିକ ପ୍ରକ୍ରିୟା ସାହାଯ୍ୟରେ ବସ୍ତୁର ପ୍ରତିଛବିକୁ ଧରିହୁଏ । ଏହି ପ୍ରତିଛବି ଓଲଟା ହୋଇଥିବାରୁ ଏହାକୁ ନେଗେଟିଭ୍ କୁହାଯାଏ । ନେଗେଟିଭ୍‍ରୁ ପୁନର୍ବାର ବସ୍ତୁର ପ୍ରକୃତ ପ୍ରତିଛବି ଉଠାଯାଏ ।

 

ନିଜେ କର–ତୁମେ ଇଛା କଲେ ଏକ ରନ୍ଧ୍ର କ୍ୟାମେରା ପ୍ରସ୍ତୁତ କରିପାରିବ । ଏକ ଘନ ଆୟତାକାର କାଠବାକ୍ସ ନିଅ । ଏହାର ସାମନାପଟର ପଟାରେ ଏକ ମିଲିମିଟରରୁ କମ୍ ବ୍ୟାସର ଏକ ରନ୍ଧ୍ର ଥାଏ । ବିପରୀତ ପାର୍ଶ୍ଵରେ ଏକ ଘଷାକାଚ ଖଞ୍ଜିଦିଅ । ବାକ୍ସର ସମ୍ମୁଖରେ ମହମବତୀଟିଏ ଜାଳ । ଏଥିରୁ ଆଲୋକରଶ୍ମି ନିର୍ଗତ ହୋଇ ଛିଦ୍ର ମଧ୍ୟଦେଇ ଘଷାକାଚ ଉପରେ ପଡ଼ିବ । ଲକ୍ଷ୍ୟକଲେ ଦେଖିବ ଯେ ଘଷାକାଚ ଉପରେ ମହମବତୀ ଶିଖାର ପ୍ରତିବିମ୍ବ ସୃଷ୍ଟି ହୋଇଛି । ମାତ୍ର ଏହି ପ୍ରତିବିମ୍ବଟି ଓଲଟା ପଡ଼ିବ । ଆଲୋକର ସରଳରୈଖିକ ଗତି ଯୋଗୁଁ ଏପରି ହୋଇଥାଏ ।

Image

କୌଣସି କାରଣବଶତଃ ଆମେ ଦୂର କିମ୍ବା ପାଖ ଜିନିଷକୁ ଭଲଭାବେ ଦେଖି ନ ପାରିଲେ ସେଥିପାଇଁ ଚଷମା ବ୍ୟବହାର କରୁ । ଏହି ଚଷମାରେ ବିଭିନ୍ନ ପ୍ରକାର ଯବକାଚ ବ୍ୟବହାର କରାଯାଇଥାଏ । ଏହି ଯବକାଚ ସାଧାରଣତଃ ଦୁଇ ପ୍ରକାର (୧) ଉତ୍ତଳ ଯବକାଚ, (୨) ଅବତଳ ଯବକାଚ । ଉତ୍ତଳ ଯବକାଚ ସାହାଯ୍ୟରେ ଆମେ ବସ୍ତୁକୁ ଦେଖିଲେ ବସ୍ତୁଟି ଆମକୁ ବଡ଼ ଦେଖାଯାଏ ।

 

ନିଜେ କର–ଗୋଟିଏ ଉତ୍ତଳ ଯବକାଚ ଆଣ । ବହିର ପୃଷ୍ଠା ଉପରେ ଏହି ଯବକାଚଟିକୁ ଟେକି ଧର । ଯବକାଚ ମଧ୍ୟଦେଇ ବହିର ଅକ୍ଷରକୁ ଚାହଁ । ଦେଖିବ ଏହା ପୂର୍ବ ଅପେକ୍ଷା ବଡ଼ ବଡ଼ ଦେଖାଯାଉଛି । ତୁମ ହାତ ଉପରେ ବାହୁରେ ପକାଇ ଏହା ଦ୍ଵାରା ଲୋମମାନଙ୍କୁ ଲକ୍ଷ୍ୟ କର । ଦେଖିବ ଏହା ମଧ୍ୟ ବଡ଼ ବଡ଼ ଦେଖାଯାଉଛି । ଉତ୍ତଳ ଯବକାଚର ଏହି ଗୁଣକୁ ବ୍ୟବହାର କରି ଅଣୁବୀକ୍ଷଣ ଓ ଦୂରବୀକ୍ଷଣ ଯନ୍ତ୍ରମାନ ତିଆରି କରାଯାଉଛି ।

Image

ନିଜେକର–ଗୋଟିଏ ବର୍ଗାକାର ମୋଟା କାଗଜ ନିଅ । ଏହାର କେନ୍ଦ୍ରରେ ରାଉଣ୍ଡରର ମୁନିଆ ଅଗ ଦ୍ଵାରା କଣା କର । ବର୍ତ୍ତମାନ ଏକ ମୋଟା ବହିକୁ ଟେବୁଲ ଉପରେ ରଖି ତା' ଭିତରେ ଏହି କାଗଜଟି ରଖ । ଟେବୁଲ ଉପରେ କାଗଜ ତଳେ ଏକ ପରିଷ୍କାର ଧଳାକାଗଜ ବିଛେଇ ଦିଅ । ବର୍ତ୍ତମାନ ଆଙ୍ଗୁଠିକୁ ପାଣିରେ ବୁଡ଼ାଅ ଓ ଗୋଟିଏ ବୁନ୍ଦାପାଣି ଆଣି ଏହି କାଗଜସ୍ଥ ରନ୍ଧ୍ରରେ ଧିରେ ପକାଅ । ଟେବୁଲ ଉପରେ ବିଛା ହୋଇଥିବା ଧଳାକାଗଜ ଉପରେ ଏକ ଛୋଟ ପତ୍ର ରଖି ଏହି ଜଳବିନ୍ଦୁ ବାଟେ ଚାହଁ । କ'ଣ ଦେଖୁଛ ? ଏହାକୁ କୁହାଯାଏ ଜଳବିନ୍ଦୁ ଅଣୁବୀକ୍ଷଣ ଯନ୍ତ୍ର ।

Image

ବର୍ତ୍ତମାନ ଏକ ଯବକାଚ ଆଣ । ଏହାକୁ ସୂର୍ଯ୍ୟରଶ୍ମି ସହ ଲମ୍ବ ଭାବରେ ଧର, ଯେପରି ସୂର୍ଯ୍ୟରଶ୍ମି ଗୋଟିଏ ଜାଗାରେ ମିଳିତ ହେବ । ଏହି ବିନ୍ଦୁରେ ଏକ କାଗଜ ରଖ । ଦେଖୁବ କିଛି ସମୟ ପରେ କାଗଜଟି ଜଳିବାକୁ ଆରମ୍ଭ କଲା । ଏପରି ହେବାର କାରଣ ହେଉଛି ସୂର୍ଯ୍ୟଙ୍କ ରଶ୍ମି ଏହି ଯବକାଚ ମଧ୍ୟଦେଇ ପ୍ରତିସୃତ ହୋଇ ଏକ ବିନ୍ଦୁରେ ମିଳିତ ହେଲା । ଏହାକୁ ରଶ୍ମିକେନ୍ଦ୍ର କୁହାଯାଏ । ତେଣୁ ଏଠାରେ ଅଧିକ ଉତ୍ତାପ ହେଲା । ଯାହା ଫଳରେ କି କାଗଜଟି ପୋଡ଼ିଗଲା ।

 

ଦିନକୁ ଦିନ ଦିନ ଅଧିକ ଗବେଷଣା କରାଯାଇ ନାନା ନୂଆ ନୂଆ ତଥ୍ୟ ଏକ ଯବକାଚ ଉପରେ ପ୍ରକାଶ ପାଇଲାଣି । ବହୁ ଉନ୍ନତ ଧରଣର ଯନ୍ତ୍ରପାତି ତିଆରି ହେଲାଣି । ସେ ସବୁ ତୁମେ ଅଧିକ ପଢ଼ିଲେ ଜାଣିବ । ତଥାପି ଏଠାରେ ଗୋଟିଏ ଦୁଇଟି ଯନ୍ତ୍ର ବିଷୟରେ ତୁମ ଜାଣିବା ପାଇଁ ଦିଆଗଲା ।

 

ଅଣୁବୀକ୍ଷଣ ଯନ୍ତ୍ର–ଏହି ଅଣୁବୀକ୍ଷଣ ଯନ୍ତ୍ର ସାଧାରଣତଃ ଦୁଇ ପ୍ରକାର ଦେଖାଯାଏ । (୧) ସରଳ ଅଣୁବୀକ୍ଷଣ ଯନ୍ତ୍ର, (୨) ଜଟିଳ ଅଣୁବୀକ୍ଷଣ ଯନ୍ତ୍ର ।

 

ସରଳ ଅଣୁବୀକ୍ଷଣ ଯନ୍ତ୍ର–ଯେକୌଣସି ଉତ୍ତଳ ଯବକାଚ ଏକ ସରଳ ଅଣୁବୀକ୍ଷଣ ଯନ୍ତ୍ରର କାମ କରିଥାଏ । ଏ କଥା ପୂର୍ବ ପୃଷ୍ଠାରେ ଆଲୋଚନା କରାଯାଇଛି । କେବଳ ଯବକାଚକୁ ହାତରେ ଧରି ଦେଖିବାର ସୁବିଧା ପାଇଁ ଏହାର ଧାରକୁ ଏକ ଧାତବ ବଳୟର ଖୋପ ମଧ୍ୟରେ ରଖାଯାଇଥାଏ । ଏହି ବଳୟରୁ ଏକ ହ୍ୟାଣ୍ଡେଲ୍ ଲାଗିଥାଏ । ହ୍ୟାଣ୍ଡେଲ୍ ସାହାଯ୍ୟରେ ଧରି ଯବକାଚକୁ ବସ୍ତୁ ଆଡ଼କୁ ନେଲେ ବସ୍ତୁର ଏକ ସଳଖ ଓ ବଡ଼ ପ୍ରତିବିମ୍ବ ଦେଖାଯାଏ ।

 

ଜଟିଳ ଅଣୁବୀକ୍ଷଣ ଯନ୍ତ୍ର–ଏହି ଯନ୍ତ୍ରଟିରେ ଦୁଇ ବା ତା'ଠାରୁ ଅଧିକ ଯବକାଚ ବ୍ୟବହାର କରାଯାଇଥାଏ । ଏହାଦ୍ଵାରା ନିକଟରେ ଥିବା ଛୋଟ ବସ୍ତୁଟି ଖୁବ୍ ବଡ଼ ଆକାରରେ ଦେଖାଯାଏ । ହାରାହାରି ବସ୍ତୁକୁ ପ୍ରାୟ ଦୁଇହଜାର ଗୁଣ ଅଧିକ ଆକାରରେ ଦେଖିହୁଏ । ସାଧାରଣତଃ ଦୁଇଟି ଯବକାଚକୁ ଆବଶ୍ୟକ ଦୂରତା ଅନୁଯାୟୀ ଖଞ୍ଜି ତୁମେ ଇଚ୍ଛା କଲେ ଏକ ଜଟିଳ ଅଣୁବୀକ୍ଷଣ ଯନ୍ତ୍ର ତିଆରି କରିପାରିବ ।

 

ଦୂରବୀକ୍ଷଣ ଯନ୍ତ୍ର–ଏହି ଯନ୍ତ୍ରଟିକୁ ମଧ୍ୟ ଉତ୍ତଳ ଯବକାଚ ବ୍ୟବହାର କରି ତିଆରି କରାଯାଏ । ଏହି ଯନ୍ତ୍ରରେ ଦୂରରେ ଥିବା ବସ୍ତୁକୁ ଯଥାସମ୍ଭବ ନିକଟରେ ବଡ଼ ଆକାରରେ ଦେଖାଯାଇ ପାରେ । ଏହି ଉପକରଣରେ ଦୁଇ ବା ଅଧିକ ପରିମାଣର ଉତ୍ତଳ ଯବକାଚକୁ ଆବଶ୍ୟକ ଦୂରତାରେ ଖଞ୍ଜା ଯାଇଥାଏ ।

 

ତୁମେ ବେଳେବେଳେ ଲକ୍ଷ୍ୟ କରିଥିବ କେତେକ ବ୍ୟକ୍ତି ଦୂରବସ୍ତୁ ଭଲଭାବରେ ଦେଖିପାରନ୍ତି ନାହିଁ । ମାତ୍ର ସେମାନେ ପାଖବସ୍ତୁକୁ ବେଶ୍ ଭଲଭାବରେ ଦେଖିପାରନ୍ତି । ଅଳ୍ପ ବୟସର ଛାତ୍ରମାନଙ୍କ ଠାରେ ସାଧାରଣତଃ ଏହି ଦୋଷ ଦେଖାଯାଏ । ଏହାକୁ ସମୀପ ଦୃଷ୍ଟିଦୋଷ କୁହାଯାଏ । ଅବତଳ ଯବକାଚର ଚଷମା ପିନ୍ଧିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି । ଅବତଳ ଯବକାଚ ଚଷମା ବ୍ୟବହାର ଯୋଗୁଁ ସେମାନଙ୍କ ଏପ୍ରକାର ଦୃଷ୍ଟିଦୋଷ ଦୂର ହୋଇଯାଏ ।

 

ଏବେ ବିଜ୍ଞାନ ବହୁତ ଆଗେଇଲାଣି । ଦିନରାତି ଗବେଷଣା କରି ଆମର ବୈଜ୍ଞାନିକମାନେ ନାନା ନୂଆ ନୂଆ କଥା ଆବିଷ୍କାର କଲେଣି । ଚଷମା ପିନ୍ଧା କେତେକଙ୍କୁ ଅସୁବିଧା ଲାଗିପାରେ । ସେଥିପାଇଁ ସଂସ୍ପର୍ଶ ଯବକାଚ ବାହାରିଲାଣି । ଏପ୍ରକାର ଯବକାଚକୁ ଆଖିର ଚଷମା ମଧ୍ୟରେ ଖଞ୍ଜି ଦିଆଯାଏ । ଫଳରେ ଦୃଷ୍ଟିଦୋଷ ଦୂର ହୋଇଯାଏ । ଚଷମା ପିନ୍ଧାର ଅସୁବିଧାକୁ ମଧ୍ୟ ତା’ପରେ ଠିକ୍ କରାଯାଇପାରେ ।

Image

ଏବେ ଆଲୋକ ଉପରେ ବହୁତ ନୂଆ ନୂଆ କଥା ବାହାରିଲାଣି । ତୁମେମାନେ ବଡ଼ହେଲେ ସେ ବିଷୟରେ ଅଧିକ ଭାବେ ଜାଣିବ ।

Image